Sunday, May 27, 2018
ସଂସ୍କୃତ ବ୍ରହ୍ମାଣ୍ଡର ଭାଷା
ପୁରୀ, ୨୭/୫ : ସଂସ୍କୃତ କେବଳ ଦେବ ଭାଷା ନୁହେଁ । ଏହା ଲୋକଭାଷା, ବିଶ୍ୱଭାଷା ଏବଂ ବ୍ରହ୍ମାଣ୍ଡର ଭାଷା ବୋଲି ରାଷ୍ଟ୍ରୀୟ ସଂସ୍କୃତ ମହାଧିବେଶନର ଉଦ୍ଘାଟନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଅଭିମତ ପ୍ରକାଶ କରୁଛନ୍ତି । ଲୋକଭାଷା ପ୍ରଚାର ସମିତି ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ଏହି ମହାଧିବେଶନରେ ବିଶ୍ୱ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା କର୍ଣ୍ଣାଟକର ବିଶିଷ୍ଟ ଧର୍ମପୀଠ ଉଡୁପୀର ଆଚାର୍ଯ୍ୟ ସୁଗୁଣେନ୍ଦ୍ର ତୀର୍ଥସ୍ୱାମୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଆଶୀର୍ବଚନ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଭାରତବର୍ଷର ସମସ୍ତ ଭାଷଙ୍କର ସଂସ୍କୃତ ହେଉଛି ଜନନୀ । ଖାଲି ସେତିକି ନୁହେଁ ବିଶ୍ୱର ଅଧିକାଂଶ ଭାଷା ସଂସ୍କୃତ ଦ୍ୱାରା ପ୍ରଭାବିତ ବା ପରିପୁଷ୍ଟ ହୋଇଛି । ଉଦାହରଣ ଛଳରେ ସ୍ୱାମୀଜୀ କହିଥିଲେ ଯେ, ସଂସ୍କୃତର ପିତୃ, ମାତୃ, ସ୍ୱସୃ, ଭ୍ରାତୃ ଓ ସୁନୁ ଶବ୍ଦରୁ ଇଂରାଜୀ ସମେତ ୟୁରୋପୀୟ ଭାଷାମାନଙ୍କର ଫାଦର, ମଦର, ସିଷ୍ଟର, ବ୍ରଦର ଓ ସନ ପ୍ରଭୃତି ଶବ୍ଦ ଉତ୍ପନ୍ନ । ସଂସ୍କୃତ କେବଳ ଇହଲୌକିକ ଭାଷା ନୁହଁ ବରଂ ଏହା ପରଲୋକକୁ ସାର୍ଥକ କରିବା ପରି ଭାଷା । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ତଥା ନାସାର ବୈଜ୍ଞାନିକ ଡକ୍ଟର ଓମ ପ୍ରକାଶ ପାଣ୍ଡେ ଅଂଶଗ୍ରହଣ କରି ପ୍ରମାଣିତ କରିଥିଲେ ଯେ, ବେଦ ଅପୌରୁଷେୟ । ସେ କହିଥିଲେ ଯେ, ନାସାର ବୈଜ୍ଞାନିକମାନେ ଗବେଷଣା ବଳରେ ସୂର୍ଯ୍ୟଙ୍କ ଠାରୁ ବିଚ୍ଛୁରିତ ହେଉଥିବା ୩୬ ପ୍ରକାର ରଶ୍ମିରୁ ଉଦ୍ଗତ ହେଉଥିବା ଶବ୍ଦ ବେଦୋକ୍ତ ଓମ୍, ଐଂ, କ୍ଲୀଂ, ହ୍ଲୀଂ, ଶ୍ରୀଂ ଭଳି ବୀଜମନ୍ତ୍ର ବୋଲି ଉପଲବ୍ଧି କରିପାରିଛନ୍ତି । ଅତି ଉଚ୍ଚ ସମ୍ପନ୍ନ ଭିଡିଓ ରେକଡିଂ ଦ୍ୱାରା ଏହାର ପ୍ରମାଣକୁ ସଂରକ୍ଷିତ କରାଯାଇଛି ବୋଲି ସେ କହିଥିଲେ । ଶ୍ରୀ ପାଣ୍ଡେ କହିଥିଲେ ଯେ ସଂସ୍କୃତ ବିଦ୍ୱାନମାନେ ଏହି ଭାଷାରେ ଥିବା ବହୁ ମୂଲ୍ୟବାନ ଗ୍ରନ୍ଥ ଗୁଡିକର ଅଧ୍ୟୟନ ତଥା ଗବେଷଣାରେ ବ୍ରତୀ ହେବା ଉଚିତ୍ । ଅନ୍ୟତମ ସମ୍ମାନିତ ଅତିଥି ଆସାମର ବିଶିଷ୍ଟ ସନ୍ଥ ଶଙ୍କରଦେବଙ୍କ ଉତ୍ତରାଧିକାରୀ ପୀତାମ୍ବର ଦେବଗୋସ୍ୱାମୀ ଆସାମ ଓ ଓଡିଶାର ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଲୋକଭାଷା ପ୍ରଚାର ସମିତିର ମହାସଚିବ ଡକ୍ଟର ସଦାନନ୍ଦ ଦିକ୍ଷୀତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ୱାମୀ ସୁଗୁଣେନ୍ଦ୍ର ତୀର୍ଥସ୍ୱାମୀ, ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଓମ୍ ପ୍ରକାଶ ପାଣ୍ଡେଙ୍କୁ ବିଜ୍ଞାନ ସରସ୍ୱତୀ, ଡକ୍ଟର କାର୍ତ୍ତିକ ଚନ୍ଦ୍ର ଚାନ୍ଦଙ୍କୁ ସେବା ସରସ୍ୱତୀ, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ବିଦ୍ୟା ସରସ୍ୱତୀ, ପ୍ରତାପ ଚନ୍ଦ୍ର ସଡଙ୍ଗୀଙ୍କୁ ସଂସ୍କୃତ ବାଗ୍ମୀ, ପ୍ରଫେସର ଅନିରୁଦ୍ଧ ଦାସଙ୍କୁ ପ୍ରାଚୀ ସରସ୍ୱତୀ, ପିତାମ୍ବର ଦେବଗୋସ୍ୱାମୀଙ୍କୁ ଧର୍ମରତ୍ନ, ଶ୍ରୁତିର ସମ୍ପାଦକ ସର୍ବେଶ୍ୱର ମିଶ୍ରଙ୍କୁ ଶ୍ରୁତି ସରସ୍ୱତୀ, ଡକ୍ଟର କିଷନଲାଲ ଭରତୀୟାଙ୍କୁ ସଂସ୍କୃତି ସରସ୍ୱତୀ, ନିରଞ୍ଜନ ରଥଙ୍କୁ ପ୍ରେରଣା ପୁରୁଷୋତ୍ତମ ପରି ଉପାଧିରେ ସମ୍ମାନିତ କରାଯାଇଥିଲା । ସଂସ୍ଥାର ଅଧ୍ୟକ୍ଷ ଡକ୍ଟର କାର୍ତ୍ତିକ ଚାନ୍ଦ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର, କିସ୍ ବିଶ୍ୱ ବିଦ୍ୟାଳୟର କୁଳପତି ଡକ୍ଟର ହରେକୃଷ୍ଣ ଶତପଥୀ ଏବଂ ପ୍ରତାପ ସଡଙ୍ଗୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ
Subscribe to:
Post Comments (Atom)
No comments:
Post a Comment